ଆଳି ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜେଡିର ବାଜିମାତ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହେବା ସହ ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଥିବା ବେଳେ ସଭାପତି ପଦରେ ବିଜେଡିର ଅଭିଷେକ ରାଉତ ବିଜୟ ହାସଲ କରିଛନ୍ତି। ଏହା ସହିତ ଅନ୍ୟାନ୍ୟ ପଦବୀରେ ମଧ୍ୟ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି।

ଉପସଭାପତି ଭାବେ ସସ୍ମିତା ନନ୍ଦ, ସାଧାରଣ ସମ୍ପାଦକ ଭାବେ ଶୁଭ୍ରଜିତ ପରିଡ଼ା ଏବଂ ସହକାରୀ ସମ୍ପାଦକ ଭାବେ ସମୀର ଦାସ ନିର୍ବାଚିତ ହୋଇଛନ୍ତି। ସେହିପରି ଡିଏସଏ ସମ୍ପାଦକ ଭାବେ ଶୁଭସ୍ମିତା ମହାନ୍ତି, ଡ୍ରାମାଟିକ ସମ୍ପାଦକ ଭାବେ ବରାହ ମହାନ୍ତି, ସହକାରୀ ଡ୍ରାମାଟିକ ସମ୍ପାଦକ ଭାବେ ମାନସ ରଞ୍ଜନ ବେହେରା, ଆଥଲେଟିକ ସମ୍ପାଦକ ଭାବେ ଭରତ ଚନ୍ଦ୍ର ସାହୁ, ସହକାରୀ ଆଥଲେଟିକ ସମ୍ପାଦକ ଭାବେ ଶଙ୍କର ମଲ୍ଲିକ ଏବଂ ବାଳିକା କମନ୍ ରୁମ୍ ସମ୍ପାଦକ ଭାବେ ତୁଳସୀ ଧଳ ବିଜୟୀ ହୋଇଛନ୍ତି।

ମହାବିଦ୍ୟାଳୟର ମୋଟ ୧୬ଟି ପଦବୀ ପାଇଁ ୩୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲେ। ସେଥିମଧ୍ୟରୁ ୧୦ଟି ପଦବୀ ପାଇଁ ୨୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ୬ ଜଣ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟୀ ହୋଇଛନ୍ତି। ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ବାଳକ କମନ୍ ରୁମ୍ ସମ୍ପାଦକ ଦେବାଶିଷ ରାଉତ, +୩ ପ୍ରଥମ ବର୍ଷ ଶ୍ରେଣୀ ପ୍ରତିନିଧି ପୂର୍ଣ୍ଣିମା ସାହୁ, +୩ ତୃତୀୟ ବର୍ଷ ଶ୍ରେଣୀ ପ୍ରତିନିଧି ସ୍ଥିତି ପ୍ରଜ୍ଞା ସିଂହ, ବିଜ୍ଞାନ ସୋସାଇଟି ସମ୍ପାଦକ ମାନ୍ୟତ ପରିହାରୀ, ସୋସିଆଲ୍ ସର୍ଭିସ୍ ସମ୍ପାଦକ ରାଜେଶ ମଲ୍ଲିକ ଏବଂ ସହକାରୀ ଡିଏସଏ ସମ୍ପାଦକ ଶବନମ ବେଗମ ରହିଛନ୍ତି।

ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ଭୋଟ୍ ଗଣତି ଆରମ୍ଭ ହେବାକୁ ଥିବା ସମୟରେ ମହାବିଦ୍ୟାଳୟ ପରିସର ବାହାରେ ଅଶାନ୍ତ ପରିବେଶ ସୃଷ୍ଟି ହେବାରୁ ଗଣତି ପ୍ରକ୍ରିୟା ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବିତ ହୋଇଥିଲା। ଏହା ପରେ ଗଣତି ଶେଷ ହୋଇ ରାତି ପ୍ରାୟ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା।

ନିର୍ବାଚନ ପରିଚାଳନା ସମୟରେ ଆଳି ତହସିଲଦାର ସୁମନ ଘୋଷ ଏବଂ ଆଳି ଥାନା ଆଇଆଇସି ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ମହାବିଦ୍ୟାଳୟ ପରିସରରେ ଉପସ୍ଥିତ ରହିଥିଲେ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଳି ମହାବିଦ୍ୟାଳୟରେ ଛାତ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି।